ଆନ୍ତର୍ଜାତୀୟ

କାଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ଚୀନ୍‌ ଆଗ୍ରହୀ

May 3, 2017
ସ୍ୱାର୍ଥସାଧନ ମୁଖ୍ୟ ଉଦେ୍ଦଶ୍ୟ
ବେଜିଂ, ୨ା୫: କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ଚୀନ୍‌ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରୁଛି । ଭାରତ- ପାକିସ୍ତାନ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ କରନ୍ତୁ ବୋଲି ସବୁବେଳେ କହି ଆସୁଥିବା ଚୀନ୍‌ ପ୍ରଥମ ଥର ପାଇଁ ଏଭଳି ପରିବର୍ତ୍ତିତ ମତ ପୋଷଣ କରିଛି । ‘ଚୀନ୍‌ କେବେ କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଏ ନାହିଁ; କିନ୍ତୁ ଏହାର ଅର୍ଥ ନୁହେଁ ଯେ ରାଷ୍ଟ୍ରର ନିହିତ ସ୍ୱାର୍ଥରକ୍ଷା କ୍ଷେତ୍ରରେ ଏହା ମୂକ ବଧିର ହୋଇ ବସି ରହିବ’ ବୋଲି ଚୀନ୍‌ର ସରକାରୀ ମୁଖପତ୍ରରେ ଖବର ପ୍ରକାଶ ପାଇଛି । ‘ସ୍ୱାର୍ଥ ପାଇଁ ଚୀନ୍‌ ଯେକୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୂରାଇବାକୁ ପ୍ରସ୍ତୁତ’ ବୋଲି ଚୀନ୍‌ର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ରେ ପ୍ରକାଶ ପାଇଛି । ସବୁବେଳେ ପାକିସ୍ତାନକୁ ଭାରତ ବିରୋଧରେ ଉସୁକାଇ ଆସୁଥିବା ଚରମ ସ୍ୱାର୍ଥପର ରାଷ୍ଟ୍ର ଚୀନ୍‌ ସୋମବାର ପାକିସ୍ତାନ ସେନାଙ୍କ ଦ୍ୱାରା ଭାରତର ଦୁଇ ଯବାନଙ୍କ ମୁଣ୍ଡକାଟ ଘଟଣାର ପରଦିନ ଏପରି ଆଗ୍ରହ ପ୍ରକାଶ କରିବା ରହସ୍ୟମୟ ମନେହେଉଛି । 
ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଚୀନ୍‌-ପାକିସ୍ତାନ ଅର୍ଥନୈତିକ ଅଞ୍ଚଳ (ସିପିଇସି) ପ୍ରକଳ୍ପରେ ଚୀନ୍‌ ୫୦ବିଲିୟନ ଡଲାର ବିନିଯୋଗ କରିଛି । ଏହା ବିବାଦୀୟ ପାକ୍‌ ଅଧିକୃତ କାଶ୍ମୀର ଅଞ୍ଚଳ ମଧ୍ୟ ଦେଇ କାର୍ଯ୍ୟକାରୀ ହେଉଛି; ଯାହାକୁ ଭାରତ ଆରମ୍ଭରୁ ବିରୋଧ କରିଆସୁଛି । ଭାରତ ଯୋଗୁଁ କାଳେ ପ୍ରକଳ୍ପରେ କିଛି ସମସ୍ୟା ସୃଷ୍ଟି ହେବ ସେ ଆଶଙ୍କା ଚୀନ୍‌ର ରହିଛି । ଚୀନ୍‌ ରୋହିଙ୍ଗ୍ୟା ଶରଣାର୍ଥୀ ମାମଲାରେ ମ୍ୟାମାର-ବାଂଲାଦେଶ ମଧ୍ୟରେ ମଧ୍ୟସ୍ଥତା କରିଛି । ଏହା ମାଧ୍ୟମରେ ଆଞ୍ଚଳିକ ଭାରସାମ୍ୟ ରକ୍ଷା କରିବା ଓ ପଡ଼ୋଶୀ ରାଷ୍ଟ୍ରର ଆଭ୍ୟନ୍ତରୀଣ ସମସ୍ୟା ସହ ବିଭିନ୍ନ ଆଞ୍ଚଳିକ ସମସ୍ୟା ସମାଧାନ ମାଧ୍ୟମରେ ଚୀନ୍‌ ନିଜର ସ୍ୱାର୍ଥ ସାଧନ କରିବାକୁ ଉଦ୍ୟମ କରୁଛି । ବ୍ୟାବସାୟିକ ଉଦେ୍ଦଶ୍ୟ ପୂରଣ କରିବା ଓ ପଡ଼ୋଶୀ ରାଷ୍ଟ୍ର ଉପରେ ବଡ଼ଭାଇପଣିଆ ଜାହିର କରିବା ଏହାର ମୁଖ୍ୟ ଉଦେ୍ଦଶ୍ୟ । ଦେଶର ସ୍ୱାର୍ଥ ରକ୍ଷା ପାଇଁ ଏହା ଅପରିହାର୍ଯ୍ୟ ବୋଲି ଚୀନ୍‌ କମୁ୍ୟନିଷ୍ଟ ପାର୍ଟି ଏବେ ଚିନ୍ତା କରୁଛି । ସେଥିପାଇଁ କାଶ୍ମୀର ସମସ୍ୟା ସମାଧାନ ପାଇଁ ମଧ୍ୟସ୍ଥ ହେବାକୁ ଚୀନ୍‌ ଚାହୁଁଛି । ଏ କ୍ଷେତ୍ରରେ ଚୀନ୍‌ର ସାମର୍ଥ୍ୟ ରହିଥିବା ଏହି ପତି୍ରକା ଯୁକ୍ତି ଦର୍ଶାଇଥିଲେ ମଧ୍ୟ କାଶ୍ମୀର ପ୍ରସଙ୍ଗ ବେଶ୍‌ କଷ୍ଟସାଧ୍ୟ ଓ ଏଥିରେ ମଧ୍ୟସ୍ଥତା କରି ଚୀନ୍‌ ନିଜର ସ୍ୱାର୍ଥ ରକ୍ଷା କରିବା ବଡ଼ ଆହ୍ୱାନ ହେବ ବୋଲି ଏହା ଆଶଙ୍କା ପ୍ରକାଶ କରିଛି ।
ଦୁଇ ଦିନ ପୂର୍ବେ ଚୀନ୍‌ କମୁ୍ୟନିଷ୍ଟ ପାର୍ଟିର ଜଣେ ପ୍ରଭାବଶାଳୀ ଚିନ୍ତାନାୟକ ତଥା ଚୀନ୍‌ ସାମାଜିକ ବିଜ୍ଞାନ ଏକାଡେମିର ପ୍ରେସିଡିୟମ ସଦସ୍ୟ ଝାଙ୍ଗ୍‌ ୟୁନ୍‌ଲିଙ୍ଗ୍‌ ମତ ଦେଇଥିଲେ ଯେ ଆଞ୍ଚଳିକ ସମ୍ପର୍କରେ ଭାରସାମ୍ୟ ରକ୍ଷା ଦୃଷ୍ଟିରୁ ଚୀନ୍‌-ପାକିସ୍ତାନ ଅର୍ଥନୈତିକ ଅଞ୍ଚଳ(ସିପିଇସି) ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଭାରତ ସହିତ ଚୀନ୍‌ ଆଲୋଚନା କରିବା ଦରକାର । ପାକ୍‌ଅଧିକୃତ କାଶ୍ମୀର ମଧ୍ୟ ଦେଇ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାରୁ ଆବଶ୍ୟକ ହେଲେ କିଛି କାଳ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖି ଭାରତ ସହିତ ଏ ବାବଦରେ ରହିଥିବା ମତପାର୍ଥକ୍ୟ ଦୂର କରାଯିବା ଆବଶ୍ୟକ । ଦୁଇ ଦିନ ମଧ୍ୟରେ ଚୀନ୍‌ର ଏଭଳି ପରିବର୍ତ୍ତିତ ମତିଗତି ଭାରତ ପାଇଁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି କରିଛି ।
 

ହାଫିଜର ଅଟକ ଯଥାର୍ଥ: ପାକ୍‌ ସରକାର

April 22, 2017

ଆଫଗାନ ସେନା ଶିବିରରେ ଆକ୍ରମଣ, ୫୦ ମୃତ

April 22, 2017

ଆଇଏସ୍‌ଆଇ ହେପାଜତରେ ଅଲ୍‌-ଜୱାହିରି

April 23, 2017

ଫ୍ରାନ୍ସରେ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ

April 24, 2017

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାତ ସୈନିକ ମୃତ

April 24, 2017